ଚର୍ଚ୍ଚାରେ ଶ୍ୟାମଜୀ ରାଇସ ମିଲ, ତଦନ୍ତ ବେଳେ ଅଧିକାରୀଙ୍କ ଟିଫନ ଭିଡିଓ ଭାଇରାଲ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ମଣ୍ଡି ପୂର୍ବରୁ ଜିଲ୍ଲାରେ ଥିବା ରାଇସ ମିଲ ଗୁଡିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ସଲଣ୍ଡି ନିକଟରେ ଥିବା ଶ୍ୟାମଜୀ ରାଇସମିଲରେ ଷ୍ଟକ ରେଜିଷ୍ଟର ଠାରୁ ଅଧିକ ପରିମାଣର ଧାନ ଓ ଚାଉଳ ଗଚ୍ଛିତ ଥିବା ଜଣାପଡିଥିଲା । ଯାହାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ମିଲକୁ ଘନ ଘନ ଗସ୍ତ କରି ପୁଙ୍ଖାନୁପୁଙ୍ଖା ତଦନ୍ତ କରୁଛନ୍ତି । ତଦନ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ଗେଟ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ବାହାରେ ଗେଟ ବନ୍ଦ କରି ଭିତରେ ଖୋଳତାଡ଼ ଆରମ୍ଭ କରିଥିଲେ ତଦନ୍ତ ଅଧିକାରୀ । ଅପରାହ୍ନ ୩ଟାରୁ ରାତି ୯ ପର୍ଯ୍ୟନ୍ତ ଗେଟ ଭିତରେ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚ କରିଥିଲେ । ଅନ୍ୟପଟେ ଯାଞ୍ଚ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି । ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀମାନେ ମିଲ ମାଲିକଙ୍କ ସହ ଏକ କୋଠରୀରେ ବସି ଟିଫନ କରୁଥôବାର ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକୁ ନେଇ ସମ୍ପୃକ୍ତ ମିଲ ମାଲିକ ଏବଂ ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା । ଏହି ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published.