ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ତରଫରୁ ୧୧ତମ ଦ୍ୱି ବାର୍ଷିକ ସମ୍ମିଳନୀ

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗୀର ମଣ୍ଡଳ ଶାଖା ତରଫରୁ ୧୧ତମ ଦ୍ୱି ବାର୍ଷିକ ସମ୍ମିଳନୀ ବଲାଙ୍ଗୀର ମୁଖ୍ୟ ଡାକ ଘର କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଓଡିଶାର ବିଶିଷ୍ଟ ଶ୍ରମିକ ନେତା ତଥା ପଶ୍ଚିମ ଓଡିଶାର ଗର୍ବ ଏବଂ ଗୌରବ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ବଲାଙ୍ଗୀର ପୋଷ୍ଟାଲ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ୟୁନିଅନର ପତାକା ଉତ୍ତୋଳନ କରିଥିଲେ । ମା’ ସମଲେଶ୍ୱରୀଙ୍କ ପୂଜା ଆରାଧନା ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ୟୁନିୟନର ସର୍କଲ ସଭାପତି ଜୟକୃଷ୍ଣ ସାହୁ ସମ୍ମିଳନୀକୁ ଉଦଘାଟନ କରିଥିଲେ । ସଭାରେ ମୁଖ୍ୟ ଅତିଥି ପ୍ରମୋଦ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ତଥା ଟ୍ରେଡ଼ ୟୁନିଅନ ନେତା ନିରଞ୍ଜନ ବିଶି, ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ହେଡ଼ ଅଫିସ ପୋଷ୍ଟ ମାଷ୍ଟର ସୁବାଷ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଓଡିଶା ସର୍କଲ ସମ୍ପାଦକ କଳ୍ପବଟ ପଟ୍ଟନାୟକ, ସର୍କଲ ସମ୍ପାଦକ ପର୍ଶୁରାମ ଦାଶ, ଉପସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ଜଗଦାନନ୍ଦ ବହିଦାର ଓ ଡିଭିଜନ ସମ୍ପାଦକ ଦଶରଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । ବିଶିଷ୍ଟ କଳାକାର ନବୀନ କୁଅଁର ସ୍ୱାଗତ ସଂଗୀତ ଦ୍ୱାରା ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦେଶର ଗ୍ରାମାଞ୍ଚଳର ଲୋକଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାରେ ଘରକୁ ଘର ସେବା ଯୋଗାଇବାରେ ଗ୍ରାମୀଣ ଡାକ ସେବକମାନଙ୍କ ମୁଖ୍ୟ ଅବଦାନ ରହିଛି । କରୋନା କଟକଣା ସମୟରେ ଡାକ କର୍ମଚାରୀ ତାଙ୍କ କାର୍ୟ୍ୟ ସୁଚାରୁରୂପେ ନିର୍ବାହ କରିଛନ୍ତି । ତଥାପି କେନ୍ଦ୍ର ସରକାର ଚାକିରୀ ନିୟମିତ ନ କରିବା, ଦରମା, ଭତ୍ତା, ଗ୍ରାଚୁଇଟି ଓ ବୀମା ବୃଦ୍ଧି ନ କରିବା, ଶ୍ରମିକ କର୍ମଚାରୀ ବିରୋଧୀ ନିତି ବୋଲି ଉଦବେଗ ପ୍ରକାଶ କରିଥିଲେ । ପୁଞ୍ଜିବାଦ ବ୍ୟବସ୍ଥା ବନ୍ଦ କରିବା ଆବଶ୍ୟକ ।

ସରକାରୀ ସଂସ୍ଥାଗୁଡିକର ଘରୋଇ କରଣ ବନ୍ଦ କରିବା, କୃଷି ବିରୋଧୀ ଆଇନ ଭଳିଆ ଶ୍ରମିକ ବିରୋଧୀ ଆଇନ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ସମସ୍ତ ଶ୍ରମିକ କର୍ମଚାରୀ ଜନସାଧାରଣ ଏକଜୁଟ ହୋଇ ଲଢେଇ କରିବାକୁ ଶ୍ରୀ ମିଶ୍ର ଉଦବୋଧନ ଦେଇଥିଲେ । ଲୋକଙ୍କୁ ଉତ୍ତମମାନର ସେବା ଯୋଗାଉଥିବା ଗ୍ରାମୀଣ ଡାକ ସେବକ ଦେଶର ଜାଗ୍ରତ ସୁରକ୍ଷା ପ୍ରହରୀ ତାଙ୍କ ସମସ୍ୟା ତୁରନ୍ତ ସମାଧାନ ନ କଲେ ଦେଶବ୍ୟାପି ଆନ୍ଦୋଳନ କରିବାକୁ ବିଶିଷ୍ଟ ଆଦିବାସୀ ନେତା ଶ୍ରୀ ବିଶି ଆହ୍ୱାନ କରିଥିଲେ । ଗ୍ରାମୀଣ ଡାକ ସେବକମାନଙ୍କ ଦାବୀପୂରଣ ହେବା ପର୍ୟ୍ୟନ୍ତ ଆଦିବାସୀ ମହାସଂଘ ସଶସ୍ତ୍ର ଆନ୍ଦୋଳନରେ ସାମିଲ ହେବ ବୋଲି ଶ୍ରୀ ବିଶି ପ୍ରକାଶ କରିଥିଲେ । ସମ୍ମିଳନୀରେ ବଲାଙ୍ଗିର, ସୋନପୁର ଓ କଳାହାଣ୍ଡିର ଶତାଧିକ ଡାକ ସେବକ, ପୋଷ୍ଟ ମାଷ୍ଟର ଓ ସହାୟକ ପୋଷ୍ଟ ମାଷ୍ଟର ଯୋଗଦେଇଥିଲେ । ସମ୍ମିଳନୀରେ ଡାକ ବିଭାଗରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ଉପଢୌକନ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶାଖା ପୋଷ୍ଟ ମାଷ୍ଟର ମଧୁସୂଦନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.