ମମିତାଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଓ କଂଗ୍ରେସର ରଣହୁଙ୍କାର

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟାକୁ ନେଇ ଢେଙ୍କାନାଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ବିଜେପି ଓ ମହିଳା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଥିଲା । ସ୍ୱର୍ଗତା ମେହେରଙ୍କ ହତ୍ୟାକାଣ୍ଡରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରମୁଖ ଭୂମିକା ଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ତେଣୁ ତାଙ୍କୁ ମନ୍ତ୍ରୀ ପଦରୁ ତୁରନ୍ତ ବହିଷ୍କାର କରି ଗିରଫ କରିବାକୁ ଢେଙ୍କାନାଳ ବିଜେପି ସଭାପତି ନରେଶ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତାମାନେ ଦାବି କରିବା ସହ ଏସପିଙ୍କ ମୁଖ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ ।

 

ଏଥିରେ ପୂର୍ବତନ ସାଂସଦ ରୁଦ୍ର ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ବିଜେପି ଯୁବ ମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ବ୍ରହ୍ମାନନ୍ଦ ସାହୁ, ମିଡ଼ିଆ ପ୍ରଭାରୀ ନବକିଶୋର ଗୁରୁ ଓ ବିଜେପି ନେତ୍ରୀ ମମତା ସ୍ୱାଇଁ ସମେତ ୩୦ରୁ ଅଧିକ ବିଜେପି କର୍ମକର୍ତ୍ତା ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇ ମମିତାଙ୍କୁ ରାଜ୍ୟ ସରକାର ତୁରନ୍ତ ନ୍ୟାୟ ପ୍ରଦାନ ନିମନ୍ତେ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ମିଶ୍ରଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । ଜିଲ୍ଲା ମହିଳା କଂଗ୍ରେସ ତରଫରୁ ମଧ୍ୟ ସ୍ୱର୍ଗତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ସମାନ ପ୍ରତିକ୍ରିୟା ପ୍ରକାଶ ପାଇଛି । ନବୀନ ସରକାର ସବୁ ଜାଣିଶୁଣି ନିଜ ଦଳର ମନ୍ତ୍ରୀ ଓ କର୍ମକର୍ତ୍ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ହତ୍ୟାକାଣ୍ଡରେ ସିଧାସଳଖ ମନ୍ତ୍ରୀ ମିଶ୍ରଙ୍କ ହାତ ରହିଛି ବୋଲି ମହିଳା କଂଗ୍ରେସ ଅଭିଯୋଗ କରିଛି । ତେଣୁ ତାଙ୍କୁ ଗିରଫ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ସିବିଆଇ ହାତରେ ହସ୍ତାନ୍ତର କରିବାକୁ କଂଗ୍ରେସ ଦାବି କରିଛି ।

Leave a Reply

Your email address will not be published.