ମିଳିଲା ନିଖୋଜ ପିଲାର ଦେହାବଶେଷ, ଅପରାଧୀ ଗିରଫ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ପୁଲିସକୁ ମିଳିଲା ନିଖୋଜ ପିଲାର ଦେହାବଶେଷ । ଗଁନ୍ଦିଆ ବ୍ଲକ ପିଙ୍ଗୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୋଲରପଶି କଲେଜ ଛକ ସନ୍ନିକଟ ସଂରକ୍ଷିତ ଜଙ୍ଗଲରୁ ଉକ୍ତ ଗ୍ରାମର ସ୍ୱର୍ଗତ ଅଜୟ ମଲିକଙ୍କ ପୁଅ କାହ୍ନୁର ଖପୁରୀ, ତଳ ମାଢ଼ି, ଚପଲ, ଗଞ୍ଜି ଓ ପ୍ୟାଣ୍ଟକୁ ନୀହଲ ପ୍ରସାଦ ପୁଲିସ ଜବତ କରିବା ସହିତ ଅଭିଯୁକ୍ତ ଗିରିଧାରୀ ମାଲିକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅଗଷ୍ଟ ମାସ ୨୭ ତାରିଖରେ କାହ୍ନୁ ନିଖୋଜ ହେବା ସଂପର୍କରେ ମାଆ ଶାନ୍ତି ମଲିକ ନିହାଲ ପ୍ରସାଦ ଥାନାରେ ୨୮ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ କାହ୍ନୁ ୨୭ ତାରିଖ ଅପରାହ୍ଣରେ ଗ୍ରାମ ଖେଳ ପଡିଆରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲା ।

ପାରିବାରିକ କଳହକୁ କେନ୍ଦ୍ର କରି ଗିରିଧାରୀ ପୁଅକୁ ମାରିଦେଇଥିବାର ମା’ ପରବର୍ତ୍ତୀ ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅପର ପକ୍ଷରେ ଗ୍ରାମରକ୍ଷୀ ଗୋବର୍ଦ୍ଧନ ମଲିକର ପୁଅ ଗିରିଧାରୀ ପୁଲିସକୁ ବିଭିନ୍ନ ପ୍ରକାର କଥା କହି ଭୁଲାଇବାକୁ ଚେଷ୍ଟା କରି ଶେଷରେ ଆଜି ପୁଲିସ ଜାଲରେ ଫସି ଦୋଷ ସ୍ଵୀକାର କରିଛି । ଥାନାଧିକରୀ ଜୀତେନ୍ଦ୍ର କୁମାର ସାହୁ ଅଭିଯୁକ୍ତକୁ ଚତୁରତାର ସହିତ କାବୁ କରି ସମସ୍ତ ତଥ୍ୟ ଆଦାୟ କରିବା ସହିତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବୟାନ ଅନୁସାରେ ମୃତ ବାଳକର ଅସ୍ଥି ଖଣ୍ଡ ଗୁଡିକୁ ସଂଗ୍ରହ କରିଛନ୍ତି । ଖବର ପାଇ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published.