ଏକ ଦିନ ମଜୁରିଆ ସମାଜସେବୀର କାହାଣୀ

ପୁରୀ,(ନାଗରାଜ ନ୍ୟୁଜ): ନେପାଳ ଭୂମିକମ୍ପ ରୁ ୧୯୯୯ ମହାବାତ୍ୟା, ଗୁଜୁରାଟ କଚ୍ଛ ରେ ଜନୈକା ମହିଳାଙ୍କ ଠାରୁ କାଶ୍ମୀର ଗୁଲମାର୍ଗ ର ଆହତ ଯବାନକୁ ରକ୍ତଦାନ କରିଥିବା ୬୫ ବର୍ଷିୟ ବଦ୍ରି ମିଶ୍ର ,ଏଯାଏଁ ୧୦୯ଥର‌ ରକ୍ତଦାନ କରି ପାଇଛନ୍ତି ରାଜ୍ୟପାଳଙ୍କ ଠାରୁ ‘ରକ୍ତଵୀର’ସମ୍ମାନ। କେବଳ ରକ୍ତଦାନ ନୁହେଁ, ଜଣେ ଶଵବାହକ ଭାବେ ପରିଚିତ ବଦ୍ରି ମିଶ୍ର, ୪୫ବର୍ଷ ଭିତରେ ସ୍ବର୍ଗଦ୍ବାର ରେ ଦାହକଲେଣି ୧୧୪୩ ଶବ। ଓଡ଼ିଶାର ପ୍ରବାଦ nପୁରୁଷ ବିଜୁ ପଟ୍ଟନାୟକ, ପଦ୍ମଶ୍ରୀ ସଦାଶିବ ରଥଶର୍ମା, ପଦ୍ମଶ୍ରୀ ରଜତ କର, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ, ପଦ୍ମଶ୍ରୀ ରାଧାମୋହନ, ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି,ଭଜନ ସମ୍ରାଟ ଭିକାରୀ ବଳ,ମୃତ ଯବାନ, ଅଚିହ୍ନା ଶବ, ଦୁର୍ଘଟଣା ରେ ମୃତ ବ୍ୟକ୍ତି ଏପରିକି ଭୟାଵହ କରୋନା ସମୟରେ ଭୁବନେଶ୍ୱର ସତ୍ୟନଗର ଓ କଟକ ସତୀ ଚୌରାରେ ସାହାସିକ ଶବଦାହ କରିବା ସହ ସମଗ୍ର ରାଜ୍ୟରେ ଏଯାବତ ବିନା ସରକାରୀ ଓ ବେସରକାରୀ ସହାୟତାରେ ଏକ ଲକ୍ଷ,ଏଗାର ହଜାର,ଆଠଶହ ସତେଇଶ ବୃକ୍ଷରୋପଣ କରି ବଦ୍ରି ମିଶ୍ର ପାଇଛନ୍ତି କୃଷି ସମ୍ମାନ, ନାଲକୋ ସମ୍ମାନ ଓ ରାଜ୍ୟ ସମାଜସେବୀ ପୁରସ୍କାର।ଏତଦଭିନ୍ନ ଓଡ଼ିଶା ର ୧୦୮୨ ଜଣ ଗରିବ-ମେଧା ଛାତ୍ର ଛାତ୍ରୀ ଙ୍କୁ ମୁକ୍ତଵିଦ୍ୟାଦାନ କରି ସେ ପାଇଛନ୍ତି ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରସ୍କାର।ରାଜ୍ୟ ବାହାରେ ଜାମ୍ମୁ, ହିମାଚଳ ପ୍ରଦେଶ, ହରିଆଣା, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ଛତିଶଗଡ଼ ଏଭଳି ସାତୋଟି ରାଜ୍ୟ ରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା କରି ସେ ପାଇଛନ୍ତି ରାଜ୍ୟପାଳଙ୍କ ଠାରୁ ପୁରସ୍କାର ,ଅତିବଡ଼ି ସଂସ୍କୃତି ସମ୍ମାନ,ସନ୍ଥ ବିନୋବା ଭାବେ ପୁରସ୍କାର ଓ ନିଜର ସମସ୍ତ ଅଂଗ ଏବଂ ଶରୀରକୁ କଟକ ମେଡିକାଲ କୁ ଦାନ କରିବା ଚୁକ୍ତି କରି ଶ୍ରୀମିଶ୍ର ପାଇଛନ୍ତି ଦଧିଚୀ ସମ୍ମାନ।

ଜାତୀୟ ସେବା ସଂସ୍ଥା, ସେଣ୍ଟ ଜନ ଆମ୍ବୁଲାନ୍ସ, ରେଡକ୍ରସ ର ଅନ୍ୟତମ ନେତୃତ୍ବ ବଦ୍ରି ମିଶ୍ର, ଏକାଧାରରେ ଜଣେ କଥାକାର, ଗୀତିକାର,ପତ୍ରକାର, ସ୍ତମ୍ଭକାର, ନାଟ୍ୟକାର ଯେ ନିଜ ସାଧନା ପାଇଁ ପାଇଛନ୍ତି ରାଜ୍ୟ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ଓ ଉତ୍କଳରତ୍ନ ସମ୍ମାନ। ସବୁଠାରୁ ଆଶ୍ଚର୍ଯ୍ୟ ର କଥା MA,LL.B., PGJMC ଭଳି ଉଚ୍ଚଶିକ୍ଷା ପ୍ରାପ୍ତ ଏହି ସମାଜସେବୀ ହେଉଛନ୍ତି ଜଣେ ଦିନ ମଜୁରିଆ।୬୫ବର୍ଷ ଭଳି ପରିଣତ ବୟସରେ ଏବେ ବି ନିଜ ସହର ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ରୁ ଦୂର ସହରରେ ଜଣେ ଦିନ ମଜୁରିଆ ଭାବେ ଇଟା ବୁହନ୍ତି,ଲୁହା ବାଡାନ୍ତି,ମାଟି ଵୁହନ୍ତି ଓ କାହା ଖଳାରେ ଧାନବାଡେଇ ପରିବାର ଚଳାନ୍ତି। ପରିଣତ ବୟସରେ ଜୀବନ ଯୁଦ୍ଧରେ କେବେ ହାରିନାହାନ୍ତି ଗରିବ ଓ ଅସହାୟ- ଅନ୍ୟତମ ଈଶ୍ଵର , ସମାଜସେବୀ ବଦ୍ରି ମିଶ୍ର, ଏବେ ବି ସବୁ ଅଭାବ ଭିତରେ ସେ ସାଧାରଣ ମଣିଷ କୁ ବଢାଉଛନ୍ତି ସହଯୋଗ ର ହାତ।

Leave a Reply

Your email address will not be published.