ଶେଷ ହେଲା ବିଦ୍ୟାଧରପୁର କାଳୀ ଭଷାଣୀ

କଟକ, (ନାଗରାଜ ନ୍ୟୁଜ): କୋଭିଡ କଟକଣା ମଧ୍ୟରେ ଶେଷ ହେଲା କଟକ ପୁର୍ବାଞ୍ଚଳର ପ୍ରସିଦ୍ଧ ବିଦ୍ୟାଧରପୁର କାଳୀ ଭଷାଣୀ । ମଣ୍ଡପରେ ୮ ଦିନ ରହିବା ପରେ ସ୍ଥାନୀୟ ବାସିନ୍ଦାଙ୍କଠୁ ବିଦାୟ ନେଇଛନ୍ତି ଦୁଇ ଭଉଣୀ ମା’ ସାନ ଏବଂ ବଡ କାଳୀ । ସକାଳୁ ୩ ଚକିଆ ଯାନରେ ଦୁଇ କାଳୀ ଏବଂ ପୂଜା କମିଟି କାଳୀଙ୍କୁ ମେଲାଣି ଦିଆଯାଇଛି । ଏଥିସହିତ ୨୮ ଗୋଟି ସାହି ମଧ୍ୟରୁ ୨୪ଟି ସାହିର ମେଢ଼ ଭଷାଣୀ ଶୋଭାଯାତ୍ରାରେ ସାମିଲ ହୋଇ ତାଳଦଣ୍ଡା କେନାଲ ନିକଟ ଏକ ଅସ୍ଥାୟୀ ପୋଖରୀରେ ବିସର୍ଜିତ କରାଯାଇଛି । ଚାରିଆଡେ କାଳୀପୂଜା ଶେଷ ହୋଇଯାଇଥିବା ବେଳେ ଏଠାକାର କାଳୀ ୭ ଦିନ ରହିବା ପରେ ବିସର୍ଜିତ ହୁଅନ୍ତି । କାଳୀଙ୍କ ସହ ୨୮ ଗୋଟି ସାହିର ହରପାର୍ବତୀ, ଶ୍ରୀ ଚୈତନ୍ୟ, କାଳୀୟଦଳନ ଓ କାର୍ତ୍ତିକେଶ୍ୱରଙ୍କ ପ୍ରତିମା ବିସର୍ଜିତ କରାଯାଇଥାଏ । ଆଉ ଅଅଁଳା ନବମୀ ଦିନ ମେଳଣ ଅନୁଷ୍ଠିତ ହୋଇ ଅନ୍ୟ ଦେବାଦେବୀ ନିଜ ମଣ୍ଡପରୁ ନିଆଯାଇ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ମେଢ଼ଗୁଡିକ ଶୋଭାଯାତ୍ରାରେ ସାହି ପରିକ୍ରମା କରନ୍ତି ।

ଆଉ ଦଶମୀ ଦିନ ମେଲାଣି ନେଇଥାନ୍ତି ମା’ କାଳୀ । ମା’ କାଳୀଙ୍କୁ ଭକ୍ତମାନେ କାନ୍ଧେଇ ନେଇ ବିସର୍ଜିତ କରିଥାନ୍ତି । ବିସର୍ଜିତ କରିବା ସମୟରେ ମାନସିକଧାରୀମାନେ ରାସ୍ତାରେ ଶାଢୀ ଓ ନଡିଆ ପକାଇଥାନ୍ତି । ଆଉ ମା’ଙ୍କ କେଶ ଓ ପାଦୂକା ରଖି ପୂଜା କଲେ ବହୁ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପାଖାପାଖି ୬୦୦ ବର୍ଷ ତଳୁ ଏହି ପୂଜା ହୋଇ ଆସୁଥିବା ବେଳେ ବିଦ୍ୟାଧରପୁର ଏହି କାଳୀ ଭଷାଣୀକୁ ଦେଖିବା ଲାଗି ପ୍ରତ୍ୟେକ ବର୍ଷ ବିପୁଳ ଜନସମାଗମ ହୋଇଥାଏ । ହେଲେ କୋଭିଡ ପାଇଁ ଚଳିତବର୍ଷ ଏସବୁ ବନ୍ଦ ରହିଛି । ଭଷାଣୀକୁ ନଜରରେ ରଖି ଚାଉଳିଆଗଞ୍ଜ ଥାନା ଓ ଏନଆରଆରଆଇ ଫାଣ୍ଡି ସମେତ କମିସନରେଟ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା ।

Leave a Reply

Your email address will not be published.