ଚଳିତବର୍ଷ ମଧ୍ୟ ଫିକା ପଡ଼ିବ ବଡ଼ଦିନ ପର୍ବ

କଟକ, (ନାଗରାଜ ନ୍ୟୁଜ): ଦିନକ ପରେ ବଡ଼ଦିନ । ପରମ୍ପରା ଅନୁଯାୟୀ ଡିସେମ୍ବର ୨୪ ସନ୍ଧ୍ୟାରୁ ଚର୍ଚ୍ଚଗୁଡ଼ିକରେ ବଡ଼ଦିନ ଉତ୍ସବ ଆରମ୍ଭ ହୋଇଥାଏ । କିନ୍ତୁ କୋଭିଡ ସ୍ଥିତି ଯୋଗୁଁ ଚଳିତବର୍ଷ ମଧ୍ୟ ଫିକା ପଡିବ ବଡ଼ଦିନ ପର୍ବ । କଟକରେ ନିରାଡମ୍ବରରେ ପାଳିତ ହେବାକୁ ଯାଉଛି ଏହି ପର୍ବ । ଭାଇଚାରାର ସହର କଟକରେ ପ୍ରଭୁ ଯୀଶୁଙ୍କ ଏହି ଜନ୍ମଜୟନ୍ତୀକୁ ପ୍ରତିବର୍ଷ ଧୁମଧାମରେ ପାଳନ କରାଯାଏ ।

ଧରାବତରଣ କରିବେ ପ୍ରଭୁ ଯୀଶୁ । ଏହାକୁ ନେଇ ବେଶ ଚଳଚଞ୍ଚଳ ହୋଇ ଉଠେ କଟକ ସହରର ସମସ୍ତ ଚର୍ଚ୍ଚ । ଚଳିତବର୍ଷ କିନ୍ତୁ କୋରୋନା ସ୍ଥିତିକୁ ଦେଖି ଫିକା ପଡ଼ିବାକୁ ଯାଉଛି ଏହି ପର୍ବ । ଡିସେମ୍ବର ୨୫ ତାରିଖକୁ ବଡ଼ଦିନ ଭାବେ ପାଳନ କରାଯାଉଥିବା ବେଳେ ୨୪ ତାରିଖ ମଧ୍ୟ ରାତ୍ରରେ ପ୍ରଭୁଯୀଶୁ ମା’ ମରିୟମଙ୍କ କୋଳ ମଣ୍ଡନ କରିଥିବା ବିଶ୍ବାସ ରହିଛି । ଏଥିପାଇଁ ୨୪ ତାରିଖ ସନ୍ଧ୍ୟାରୁ ମଧ୍ୟ ରାତି ପର୍ଯ୍ୟନ୍ତ ଚର୍ଚ୍ଚଗୁଡ଼ିକରେ ଉତ୍ସବ ପାଳନ କରାଯାଇଥାଏ ।ଏହି ସମୟରେ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା କରାଯିବା ସହ ମଧ୍ୟରାତ୍ରରେ ଏକ ସ୍ବତନ୍ତ୍ର ପ୍ରାର୍ଥନାର ଆୟୋଜନ କରାଯାଇଥାଏ । ଏହି ପ୍ରାର୍ଥନାରେ ଶହଶହ ଲୋକ ଏକତ୍ରିତ ହୋଇ ପ୍ରଭୁଙ୍କ ଆଗମନର ଉତ୍ସବ ପାଳନ କରିଥାନ୍ତି । କିନ୍ତୁ କୋଭିଡ କଟକଣା ଲାଗିଥିବାରୁ ନିର୍ଦ୍ଦେଶାବଳିକୁ ମାନି ଆଜି ସଂନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟକୁ ଶେଷ କରାଯିବ ବୋଲି କହିଛନ୍ତି କ୍ୟଥଲିକ ଚର୍ଚ୍ଚର ଫାଦର୍ ପ୍ରବୋଧ କୁମାର ପ୍ରଧାନ ।

ନିରାଡ଼ମ୍ବର ଭାବରେ ଚଳିତବର୍ଷ ପାଳନ ହେବ ବଡ଼ଦିନ । ଏହି ପବିତ୍ର ପର୍ବ ପାଳନ ପାଇଁ ଚର୍ଚ୍ଚଗୁଡ଼ିକରେ ଆଲୋକ ସଜ୍ଜା କାର୍ଯ୍ୟ ଚାଲିଥିବା ବେଳେ ଏହାର ଆଖପାଖ ଅଞ୍ଚଳ ସଫେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ପୂର୍ବବର୍ଷ ଗୁଡ଼ିକ ଭଳି ଚର୍ଚ୍ଚଗୁଡ଼ିକରେ ସେଭଳି ଭିଡ଼ ଦେଖିବାକୁ ମିଳିବ ନାହିଁ । ସେହପରି କୋଭିଡ ସ୍ଥିତି ପାଇଁ ସହରବାସିନ୍ଦାଙ୍କ ମଧ୍ୟରେ ବି ପୂର୍ବ ଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ । କିନ୍ତୁ ଏସବୁ ଭିତରେ ସତର୍କତାର ସହ ଏହି ଉତ୍ସବ ପାଳନ କରାଯିବ।ବଡ଼ଦିନ ପର୍ବ ପାଇଁ ସହରର ପ୍ରାୟ ୨୦ଟି ଚର୍ଚ୍ଚରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ । କୌଣସି ଚର୍ଚ୍ଚରେ ଯେପରି ଭିଡ଼ ନହୁଏ ତାହା ଉପରେ ନଜର ରଖିବ କମିଶନରେଟ ପୋଲିସ ।

Leave a Reply

Your email address will not be published.