୨ ଜଣ କୁଖ୍ୟାତ ଅପରାଧୀ ଗିରଫ, ୪ ରାଉଣ୍ଡ ଅଫୁଟା ଗୁଳି ଜବତ

କଟକ, (ନାଗରାଜ ନ୍ୟୁଜ): କଟକ ଗୌରୀଶଙ୍କର ପାର୍କ ନିକଟରେ ଡ଼କାୟତି ଉଦ୍ୟମ କରୁଥିବା ସମୟରେ ଦୁଇ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି ଦରଘାବଜାର ପୋଲିସ । ଏହି ଦୁଇ ଅଭିଯୁକ୍ତ ହେଲେ ବାଲୁଗାଁ ବାସିନ୍ଦା ସୁରେଶ ଗଜେନ୍ଦ୍ର ଓ ବାଲିଚନ୍ଦ୍ରପୁର ବାସିନ୍ଦା ଅସିତ କର । ଅଭିଯୁକ୍ତଙ୍କଠାରୁ ଗୋଟିଏ ବନ୍ଧୁକ ସହିତ ୪ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି । ଏହି ଦୁଇ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୩୦ରୁ ଊର୍ଧ୍ୱ ମାମଲା ଥିବାବେଳେ ଏକ ମାମଲାରେ ଅଜିତକୁ ୧୦ ବର୍ଷର ସଜା ମଧ୍ୟ ହୋଇଥିଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ତିନିଜଣିଆ ସଦସ୍ୟ ବିଶିଷ୍ଟ ଏହି ଡକାୟତ ଗ୍ୟାଙ୍ଗ ଗତକାଲି ସନ୍ଧ୍ୟାରେ ଗୌରୀଶଙ୍କର ପାର୍କ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ବାଇକଟିକୁ ଛଡାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରି ନେଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଏମାନଙ୍କୁ ଧରିବା ସହ ଏମାନଙ୍କ ଠାରୁ ବନ୍ଧୁକ ଓ ଗୁଳି ଜବତ କରିଥିଲା । ତେବେ ଗତ ତିନି ଦିନ ହେଲା ଡକାୟତି କରିବା ଯୋଜନାରେ ଏହି ଗ୍ୟାଙ୍ଗ କଟକ ଆସିଥିବା କହିଛି ପୋଲିସ ।

Leave a Reply

Your email address will not be published.