କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର ଆତ୍ମନିର୍ଭର ଭାରତ ବଜେଟ ୨୦୨୨ ସମ୍ପର୍କରେ ଆଲୋଚନା

କଟକ, (ନାଗରାଜ ନ୍ୟୁଜ): କଟକ ଭାରତୀୟ ଜନତା ପାର୍ଟି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆନୁକୁଲ୍ୟରେ କଟକ ତୁଳସୀପୁର ସ୍ଥିତ ସାରଳା ଭବନ ଠାରେ ଆଜି ରବିବାର କେନ୍ଦ୍ର ସରକାରଙ୍କର ଆତ୍ମନିର୍ଭର ଭାରତ ବଜେଟ ୨୦୨୨ ସମ୍ପର୍କରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିନୋଦ ଦାସ, ସଜ୍ଜନ ଶର୍ମା, ନଗର ସଭାପତି ଲଲାଟେନ୍ଦୁ ବଡୁ, ମହିଳା ମୋର୍ଚ୍ଚାର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଲତା ମଙ୍ଗେସକରଙ୍କ ବିୟୋଗରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।  ଗୁରୁଦତ୍ତ କର ଏହି ସମ୍ମିଳନୀରେ ସଭାପତିତ୍ଵ କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୨୦୨୨-୨୩ ବଜେଟର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କହିଲେ ଏହି ବଜେଟ ଆତ୍ମନିର୍ଭର ଭାରତ ଗଠନ ପାଇଁ ସହାୟକ ହୋଇପାରିବ। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପ୍ରତିରକ୍ଷାକୁ ଏହି ବଜେଟରେ ଅଗ୍ରାଧିକାର ଦିଆଯାଇଛି । ଏହା ଏକ ଆତ୍ମନିର୍ଭର ଭାରତ ବଜେଟ । ଏହି ବଜେଟ ଦେଶର ପ୍ରତ୍ୟେକ କ୍ଷେତ୍ରର ଲୋକମାନଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଛି । ବଜେଟ ଦେଶର ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ସହିତ ବିକାଶର ନୂଆ ଅବସର ଆଣି ଦେଇଛି ।

ଏହି ବଜେଟ ଅଧିକ ପୁଞ୍ଜିନିବେଶ, ଅଧିକ ଭିତ୍ତିଭୂମିର ବିକାଶ ଏବଂ ଅଧିକ ନିଯୁକ୍ତିର ସୁଯୋଗ ଆଣି ଦେଇଛି । ଯୁବ ସମାଜର ଭବିଷ୍ୟତ ନିର୍ମାଣକୁ ଏହା ସୁନିଶ୍ଚିତ କରିବ । ସେହିଭଳି ଚଳିତ ୨୦୨୨-୨୩ ବଜେଟରେ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ୯୭୩୪ କୋଟି ଅନୁଦାନ ମିଳିଛି। ପୂର୍ବତଥ୍ୟ ଅନୁଯାୟୀ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ନୂତନ ରେଳପ୍ରକଳ୍ପ ନିର୍ମାଣ ଲାଗି ୪୨୭ କୋଟି ଟଙ୍କା ଅଧିକ ମିଳିଛି। ଚଳିତ ବର୍ଷ ବଜେଟରେ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଅନୁଦାନ ବା ଅର୍ଥ ବରାଦର ପରିମାଣ ପୂର୍ବବର୍ଷ ମାନଙ୍କଠାରୁ ଅଧିକ। ମାତ୍ର ଏହି ଅନୁଦାନର ଉଚିତ ସଦୁପଯୋଗ ହେବା ନିତାନ୍ତ ଆବଶ୍ୟକ। ସେହିଭଳି ଡିଜିଟାଲ ଭାରତ ଗଠନ ଲାଗି ଡିଜିଟାଲ ମୁଦ୍ରା ପ୍ରଚଳନ ଏକ ନୂତନ ପଦକ୍ଷେପ । ଚଳିତ ବଜେଟରେ ବିଭିନ୍ନ ଯୋଜନାର ଲାଭ ଗରିବ, ଦଳିତ, ମଧ୍ୟମ, ଅବହେଳିତ ଓ ନିଷ୍ପେଷିତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ । ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା । ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତା ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave a Reply

Your email address will not be published.