ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ


ବଲାଙ୍ଗିର, (ନୀଳାଞ୍ଚି ବିଶି): ବଲାଙ୍ଗିର ଜ଼ିଲ୍ଲାର ଉପାନ୍ତ ଇଲାକା ଭାବରେ ଜଣାଶୁଣା ପାଟଣାଗଡ ବ୍ଲକରୁ ମୁରିବାହାଲ ବ୍ଲକକୁ ସଂଯୋଗ କରୁଥିବା ରାସ୍ତାରେ ଲାନ୍ଥ ନଦୀ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି । ମୁରିବାହାଲ ବ୍ଲକର ଲୋକ ପାଟଣାଗଡ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ବର୍ଷା ଦିନ ଲାନ୍ଥ ନଦୀରେ ବଢ଼ିପାଣି ଯୋଗୁଁ ଜନସାଧାରଣଙ୍କ ଯାତାୟାତ ବନ୍ଦ ହୋଇଯାଏ । ଫଳରେ ଲୋକ ତିରିଶ କିଲୋମିଟର ରାସ୍ତା ବୁଲିବୁଲି ପାଟଣାଗଡ ଆସିଥାନ୍ତି । ପାଟଣାଗଡ ବ୍ଲକର ସର୍ବସାଧାରଣ ଲୋକ ଲାନ୍ଥ ନଦୀ ଯୋଗୁଁ ଟିଟିଲାଗଡ଼ ମୁରିବାହାଲ ଯିବାଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଧୂମାଭଟା, ପାଟଣାଗଡ ବେଲପଡା ବ୍ଲକର କଲେଜ ଏବଂ ହାଇସ୍କୁଲକୁ ପାଠପଢିବା ପାଇଁ ଆସୁଥିବା ମୁରିବାହାଲ ବ୍ଲକର ପ୍ରାୟ ବତିଶଟି ଗାଁର ଛାତ୍ରଛାତ୍ରୀ ଲାନ୍ଥ ନଦୀ ଯୋଗୁଁ ଘୋର ଅସୁବିଧାରେ ପଡ଼ିଥାନ୍ତି । ଜନସାଧାରଣଙ୍କ ବାରମ୍ବାର ଆନ୍ଦୋଳନ ସତ୍ୱେ ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ହୋଇ ପାରିନାହିଁ ।

ଏନେଇ ସ୍ଥାନୀୟ ବାସିନ୍ଦା ଗତକାଲି ଲାନ୍ଥ ନଦୀ ଜଳ ଶ୍ରୋତ ରେ ବସି ଜଳ ସତ୍ୟାଗ୍ରହ କରିଥିଲେ । ସକାଳ ଆଠଟାରୁ ଜଳ ସତ୍ୟାଗ୍ରହ ହୋଇଥିଲା । ଲାନ୍ଥ ନଦୀରେ ତୁରନ୍ତ ପୋଲ ନିର୍ମାଣ ପାଇଁ ତହସିଲଦାର ମୁରିବାହାଲ ସୋନାଲି ପାତ୍ର ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଜଳ ସତ୍ୟାଗ୍ରହ ଆନ୍ଦୋଳନରେ ସମନ୍ୱୟ ସମିତିର ରାଜ୍ୟ ସଂଗଠନ ସମ୍ପାଦକଗିରିରାଜ ଭୋଇ, ବନମାଳୀ ନାଏକ ( ଜିଲ୍ଲା ଯୁବ ସଭାପତି ), ସିପୁନ ଖମାରୀ ( ରାଜ୍ୟ ସମ୍ପାଦକ କୋଶଲ ରାଜ୍ୟ ଯୁବ ସଂମନ୍ଵୟ ସମିତି) ଉମେଶ କୁମାର ବନଗୁଲା, ବସୁଦେବ ରାଉତ, ଏକାଦଶୀ ନାଗ, ରମେଶ ବରିହା,ଦିଲ୍ଲୀପ ମହାନ୍ତି, ଗୋପବନ୍ଧୁ ଥପା, ଫାଳଗୁନି ହାତୀ, ଥବୀର ସା, ଜଗଜୀବନ ଭୋଇ, ଭୀଷ୍ମ କରଣ,କୁନା ବିଶ୍ୱାଳ, ଡିଙ୍ଗର ବୁଡେକ,ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published.