ବିଶ୍ବ ଯକ୍ଷ୍ମା ଦିବସ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ବ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାକକ୍ଷରେ ପାଳିତ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଚଳିତ ବର୍ଷର ଶୀର୍ଷକ “ଯକ୍ଷ୍ମା ରୋଗର ନିରାକରଣ ପାଇଁ ସହଯୋଗ କରନ୍ତୁ: ଅମୂଲ୍ୟ ଜୀବନକୁ ରକ୍ଷା କରନ୍ତୁ” ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତା ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ସାମୟିକ ପ୍ରୟାସର ଆବଶ୍ୟକତା ରହିଛି । ଦୀର୍ଘଦିନର କାଶ ରହିବା ଭଳି ଲକ୍ଷଣ ପ୍ରକାଶ ପାଇବା ପରେ ପରୀକ୍ଷା କରେଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ରୋଗ ବର୍ତ୍ତମାନ ନିୟନ୍ତ୍ରଣାଧିନ ଥିଲେ ମଧ୍ୟ ବେଳେ ବେଳେ ମୃତ୍ୟୁର ମଧ୍ୟ କାରଣ ହୋଇଥାଏ । ଏଥିନିମନ୍ତେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିରିକ୍ତ ଚିକିତ୍ସାଧିକାରୀ ତଥା ଯକ୍ଷ୍ମା ବିଭାଗର ଡଃ ଲଲାଟେନ୍ଦୁ ମିଶ୍ର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ହାରାହାରି ଭାବେ ୧୨ ଶହ ଜଣଙ୍କ କଫ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା କହିଥିଲେ । ଜିଲ୍ଲାରେ ପ୍ରାୟ ୧୯ ଲକ୍ଷ ଜନସଂଖ୍ୟାରୁ ପାଖାପାଖି ୨୩ ହଜାର ବ୍ୟକ୍ତିଙ୍କ କଫ ପରୀକ୍ଷା କରିବାକୁ ଲକ୍ଷ ରଖାଯାଇଛି । ଗତବର୍ଷ ଜିଲ୍ଲାରୁ ୧୨୪୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରୁ ୧୦୨୨ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ପୂର୍ବ ବର୍ଷ ଚିକିତ୍ସା ସଫଳତା ହାର ୯୦ ପ୍ରତିଶତ ଥିଲା । ମୃତ୍ୟହାର ମାତ୍ର ୩.୯ ପ୍ରତିଶତ ରହିଥିଲା । ଆରୋଗ୍ୟ ନିମନ୍ତେ ଏମଡିଆର୍ ଚିକିତ୍ସା ହାର ଶତ ପ୍ରତିଶତ ରହିଛି ।

ରୋଗୀମାନଙ୍କ ନିଦାନ ସମୟରେ ପୁଷ୍ଟିସାର ଖାଦ୍ୟ ନିମନ୍ତେ ମାସିକ ୫ଶହ ଟଙ୍କା ପ୍ରତ୍ୟେକ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଡଃ ମିଶ୍ର ସୂଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଅଣ ସଂକ୍ରାମକ ରୋଗ ବିଶେଷଜ୍ଞ ଡଃ ଲଳିତ କୁମାର ଦାଶ, ସ୍ବାସ୍ଥ୍ୟ ଅଧିକାରୀ ଡଃ ସୁନିଲ ତରାଇ, ଡିପିଏମ ଟି. ନାରାୟଣ ରାଓ, ଏଏନଏମ ତାଲିମ କେନ୍ଦ୍ର ଅଧ୍ୟକ୍ଷା ଶ୍ରୀମତୀ ନୟନା ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗ ନିରାକରଣ ଉପରେ ମତବ୍ୟକ୍ତ କରିଥିଲେ । ଅନେକ ବ୍ୟକ୍ତି ଏହି ରୋଗର ଲକ୍ଷଣକୁ ଲୁଚାଇବା ସହ କାଶ ଲାଗି ରହିଲେ ଘରୋଇ ଉପଚାର କରୁଥିବାରୁ ରୋଗ ବୃଦ୍ଧି ପାଉଛି । ଏଥି ନିମନ୍ତେ ସ୍ବାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ସଚେତନ କରିବା ଉପରେ ଅତିଥି ମାନେ ମତ ଦେଇଥିଲେ । ଯକ୍ଷ୍ମା ରୋଗରୁ ଆରୋଗ୍ୟ ହୋଇ ସଚେତନ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଟିବି ଚମ୍ପିୟନ ଭାବେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ, ଅଂଶିଦାର ଏବଂ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଡିପିଏଚସିଓ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.