ସେବାସମବାୟ ସମିତିର ଧାନ କିଣାରେ ଅନିୟମିତତା, ନିଲମ୍ବିତ ହେଲେ ୨ ସମ୍ପାଦକ

ବାଲେଶ୍ବର:ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ବିଭିନ୍ନ ସେବାସମବାୟ ସମିତିରେ ଧାନ କିଣାର ଅନିୟମିତତାକୁ ନେଇ ଚାଷୀମାନଙ୍କ ତରଫରୁ ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ମାନ୍ଯବର ବିଧାୟକ ତଥା ଓଡିଆ ଭାଷା ସାହିତ୍ୟ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଅଭିଯୋଗର ସତ୍ଯାସତ୍ଯ ଜାଣିବା ପାଇଁ ବିଭିନ୍ନ ସେବାସମବାୟ ସମିତିକୁ ଯାଇ ତଦନ୍ତ କରିଥିଲେ । ବିଶେଷକରି ଗଡପୋଖରି ସୋସାଇଟିରେ ଧାନକିଣାନେଇ ଚାଷୀ ମାନଙ୍କ ଦ୍ବାରା ଅଭିଯୋଗ ହୋଇ ଆସୁଥିଲା । ଚାଷୀମାନେ ସରକାରଙ୍କ ଠାରୁ ଧାନ ଦେବାପାଇଁ ଟୁକନ ମଧ୍ୟ ପାଇଥିଲେ । କିନ୍ତୁ ଧାନ ଦେବାପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ଦେଇ ନପାରି ହତାଶ ହୋଇଥିଲେ । ପଛରେ ନାମ ପଞ୍ଜି କରି ଆଗରେ ଦେଇଥିବା ନେଇ ଚାଷୀମାନେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ବଢିବାରେ ଲାଗିଥିଲା । ଆହୁରି ମଧ୍ୟ ବାହାରେ ଖରାରେ ପଡିଥିବା ଧାନ ନଷ୍ଟ ଓ ପଡି ରହିଥିବା କଥାକୁ କେହି କର୍ଣ୍ଣପାତ କରୁନଥିବାର ମଧ୍ୟ ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ କରି ମଧ୍ୟ ଚାଷୀ ନିରାଶ ହୋଇ ଫେରୁଥିଲେ । ଏଥିନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଦୁଇ ସମ୍ପାଦକୁ ନିଲମ୍ବିତ କରାଯାଇ ଥିବାର ଜଣାଯାଇଛି । ସେମାନେ ହେଲେ ଯଥା- ଗଡପୋଖରି ସେବାସମବାୟ ସମିତିର ସମ୍ପାଦକ ମାନସ କୁମାର ସାହୁ ଓ ମାଣତ୍ରୀ ସୋସାଇଟିର ଭାରପ୍ରାପ୍ତ ସମ୍ପାଦକ ବିଭୁତି ଭୂଷଣ ରାଉତ । ଆହୁରି ମଧ୍ୟ ଗଡପୋଖରି ସେବାସମବାୟ ସମିତିରେ ସଭ୍ଯ ନ ଥାଇ ଅନ୍ୟ ସେବାସମବାୟ ସମିତିର ଚାଷୀମାନେ ଧାନ ଦେଉଥିବାର ଗୁରୁତର ଅଭିଯୋଗ ହୋଇଛି । ଚାଷୀ ମାନଙ୍କ ଅଜଣାତରେ ସେମାନଙ୍କ ଜମିକୁ ପଞ୍ଜିକରଣ କରାଯାଇ ଅନ୍ୟ ଚାଷୀଙ୍କ ନାମରେ ଧାନ କ୍ରୟ କରାଯାଇ ଥିବାର ଖବର କୌଣସି କାରଣରୁ ଚାଷୀମାନେ ଜାଣିବା ପରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ନିଲମ୍ବିତ ସମ୍ପାଦକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରାକ୍ତନ ପରିଚାଳନା ବୋର୍ଡର ସଦସ୍ୟ ଜୟନ୍ତ କୁମାର ରାଉତ ଓ କେତେକ ଚାଷୀ ଏହାର ଉପଯୁକ୍ତ ତଦନ୍ତ ସହିତ ପ୍ରକୃତ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ନେବାକୁ ଦାବି କରିଛନ୍ତି ।
                                                                                                                   (ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ)

Leave a Reply

Your email address will not be published.