ସୁରକ୍ଷା ଦିଅ, ନଚେତ ପ୍ରସଙ୍ଗ ସାଂସଦରେ ଉଠିବ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି । ମୋତେ ସୁରକ୍ଷା ଦିଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତ ସାଂସଦ । ସୂଚନା ଅନୁସାରେ ଗତ ରାତିରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଚାର୍ଯ୍ୟ ବିହାର ଯାଇଥିବା ବେଳେ ସେଠାରେ ଘଟିଥିଲା ତୁମୁଳକାଣ୍ଡ । ୨ ଗୋଷ୍ଠି ମୁହାଁମୁହିଁ ହେବା ଫଳରେ ଅଣ୍ଡା ମାଡ଼, ପଥର ମାଡ଼ ଓ ଟେକା ମାଡ଼ ହୋଇଥିଲା । ଉତ୍ତେଜନା ଭିତରେ ଉଠିଲା ପଡ଼ିଲା ଆଚାର୍ଯ୍ୟ ବିହାର ପାଣି ଟାଙ୍କି କଲୋନୀ । ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗୋଟିଏ ଘରେ ଫସି ରହିଲେ ସାଂସଦ, ବାହାରକୁ ବାହାରି ପାରିଲେନି । ଶେଷରେ ପୁଲିସ ପହଞ୍ଚି ସେଠାରୁ ବାହାରିଥିଲେ ସାଂସଦ । ଏନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ସେ କହିଛନ୍ତିଯେ, ରାଜ୍ୟ ସରକାର ମୋତେ ସୁରକ୍ଷା ଦିଅନ୍ତୁ । ନଚେତ ୨୯ ନଭେମ୍ବରରୁ ସଂସଦ ଆରମ୍ଭ ହେଉଛି । ଏନେଇ ସଂସଦରେ କଥା ଉଠାଇବି । ଏଥିସହ କହିଛନ୍ତି ମୁଁ କାଲିଠୁ ଗାଁ କୁ ଗାଁ ଓ ୱାର୍ଡକୁ ୱାର୍ଡ ବୁଲୁବି । ମୁଁ ଜଣେ ନିର୍ବାଚିତ ପ୍ରତିନିଧୀ । ମୋତେ ସୁରକ୍ଷା ଦେବାର ଦାୟିତ୍ୱ ରାଜ୍ୟ ସରକାରଙ୍କର । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଗତ ରାତିର ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ଷଡଙ୍ଗୀ । ମତେ ଟାର୍ଗେଟ କରିଥିବା ଲୋକଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଦେଲେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Leave a Reply

Your email address will not be published.