ଜନସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଏସିବିରେ ବିଭିନ୍ନ ଅବ୍ୟବସ୍ଥା ନେଇ ପ୍ରତିବାଦ

କଟକ, (ନାଗରାଜ ନ୍ୟୁଜ): କଟକ ବଡ଼ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ବିଶ୍ୱସ୍ତରୀୟ ମେଡିକାଲ ବା ଏଆଇଆଇଏମ୍‌ଏସ୍ ପ୍ଳସ କରିବା ପାଇଁ ସରକାର ଧୁଆଁବାଣ ମାରୁଛନ୍ତି । ଏଥିପାଇଁ ସରକାର ଏହାର ଚତୁଃପାଶ୍ୱର୍ରେ ଥିବା ବିଭିନ୍ନ ଜନବସତିକୁ ଭାଙ୍ଗି ହଜାର ହଜାର ପରିବାରକୁ ଉଚ୍ଚେଦ କରିଛନ୍ତି । ମାତ୍ର ବାସ୍ତବତା ହେଉଛି ମେଡିକାଲରେ ମଞ୍ଜୁରୀପ୍ରାପ୍ତ ଡାକ୍ତର, ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବୀ ଖାଲି ପଡିଛି । ରାଜ୍ୟରେ ମୋଟ ମଞ୍ଜୁରପ୍ରାପ୍ତ ଡାକ୍ତର ପଦବୀର ପ୍ରାୟ ଅଧା ପଦବୀ ଖାଲି ପଡିଛି । ଏପରିକି ଆବଶ୍ୟକ ଭିତ୍ତିଭୂମି ନଥିବାରୁ ରୋଗୀମାନେ ବାରଣ୍ଡାରେ ପଡି ଚିକିତ୍ସା ହେଉଛନ୍ତି । ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ କିଲୋମିଟର କିଲୋମିଟର ଧରି ଲାଇନ୍ ଲଗାଇବାକୁ ପଡୁଛି । ରକ୍ତ ଜନୀତ ରୋଗୀମାନଙ୍କୁ ସହଜରେ ଓ ମାଗଣାରେ ରକ୍ତ ଯୋଗାଇଦେବାର ସରକାରଙ୍କର ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ୟ୍ୟକାରୀ ହେଉନାହିଁ । ଏଣୁ କଟକ ବଡ ମେଡିକାଲ ସମେତ ରାଜ୍ୟରେ ସମସ୍ତ ମେଡିକାଲରେ ଖାଲିପଡିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ଅବିଳମ୍ବେ ପୂରଣ କରିବା, ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା, ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବଂ ଥାଲାସେମିଆ, ସିକିଲସେଲ ଓ ଆନେମିଆ ରୋଗୀମାନଙ୍କୁ ସହଜ ତଥା ମାଗଣାରେ ରକ୍ତ ଯୋଗାଇଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା, ମେଡିକାଲ ପିଜି ଓ ଏମବିବିଏସ୍ ପାଠ ପଢା ସିଟ୍ କମେଇବା ବନ୍ଦ କରିବା ଓ ପାଠ ପଢା ସିଟ୍ ବଢାଇବା ପାଇଁ ସେଇ ମୁତାବକ ଭିତ୍ତିଭୂମି ବଢାଇବା ଦାବିରେ ଆଜି ଜନସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ପ୍ରଶାନ୍ତ ଦାସ, ଚିତ୍ତରଞ୍ଜନ ମହାନ୍ତି, ଲକ୍ଷ୍ମୀ ମହାନ୍ତି, ସି.ଭି. ଶାସ୍ତ୍ରୀ, ଡଲି ଦାସ, ପ୍ରଶାନ୍ତ ପଣ୍ଡା, କାମିଲୁଦ୍ଦିନ ଅହମ୍ମଦ୍, ସୁରେନ୍ଦ୍ର ରାଉତ, ଏନାମଲ୍ ହକ୍, ବବି ବଳବନ୍ତ ରାୟ, ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସୌଭାଗ୍ୟକେତନ ସାମଲ, ପାଭେଲ ପ୍ରିୟଦର୍ଶନ, ସୋଭା ଦେହୁରୀ, ସ୍ୱାଧିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । ଫଳରେ ଅଳ୍ପ ସଂଖ୍ୟକ ଡାକ୍ତରଙ୍କ ଉପରେ କାର୍ୟ୍ୟଭାର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଛି । ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ଚିକିତ୍ସା ଠିକ୍‌ଭାବେ ହୋଇପାରୁନାହିଁ । ଅକ୍ସଫାମର ତଥ୍ୟ ଅନୁଯାୟୀ ଦେଶର ୧୦ ହଜାର ୧୮୯ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ରହିଥିବା ବେଳେ ୯୦ ହଜାର ୩୪୩ ଜଣ ଲୋକଙ୍କ ପାଇଁ ରହିଛି ଗୋଟିଏ ଡାକ୍ତରଖାନା । ସେହିପରି ଗ୍ରାମାଞ୍ଚରେ ୩ ହଜାର ୪୩୦ ଜଣଙ୍କ ପାଇଁ ଏବଂ ସହରାଞ୍ଚଳରେ ୮୬୯ ଜଣଙ୍କ ପାଇଁ ଗୋଟିଏ ଶଯ୍ୟାର ବ୍ୟବସ୍ଥା ରହିଛି । ଏହି ପରିସ୍ଥିତିରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ଘଟାଇବା ପରିବର୍ତ୍ତେ ୨୦୨୧ ମସିହାରେ ସ୍ୱାସ୍ଥ୍ୟ ବଜେଟକୁ ୯.୮ ପ୍ରତିଶତ ହ୍ରାସ କରାଯାଇଛି । ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟସେବାରେ ଘରୋଇକରଣ-ବ୍ୟବସାୟୀକରଣ ନୀତି ପ୍ରଚଳନ ତଥା ସ୍ୱାସ୍ଥ୍ୟସେବାରେ ଆବଶ୍ୟକ ବିକାଶ ନଘଟାଇବା ଫଳରେ ଉଭୟ ଡାକ୍ତର ଓ ସାଧାରଣଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ସ୍ୱାସ୍ଥ୍ୟସେବାର ଉନ୍ନତି ସକାଶେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ମେଡିକାଲ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କ ସମେତ ସର୍ବସ୍ତରର ଜନସାଧାରଣ ଆଗେଇ ଆସିବା ପାଇଁ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

 

Leave a Reply

Your email address will not be published.