ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ଚାକିରିରୁ ବରଖାସ୍ତ ହେଲେ ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାର । କୁମାରଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି । ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।  ଖବର ଅନୁଯାୟୀ, କୁମାର ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ ।

ଯାହାଦ୍ୱାରା କି ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ କୁମାରଙ୍କ ବିରୋଧରେ ଓଡ଼ିଶା ସରକାର ୨୭ଟି ଭିଜିଲାନ୍ସ ମାମଲା ଦାୟର କରିଥିଲେ । ତନ୍ମଧ୍ୟରୁ ଦୁଇଟି ମାମଲାରେ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି । ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦପଦବୀରେ ଥାନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା ।

Leave a Reply

Your email address will not be published.