ପୁଣି ଲଘୁଚାପ ପ୍ରଭାବରେ ରାଜ୍ୟରେ ହେବ ବର୍ଷା, ସର୍ତକ କରାଇଲା ରିଲିଫ କମିଶନର

ଭୁବନେଶ୍ୱର: ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଯେପରି ଘର କରିଯାଇଛି । ପ୍ରତି ବର୍ଷ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ଏବେ ଅଳ୍ପ ବ୍ୟବଧାନରେ ଆସିଛି । ଏହି କିଛି ଦିନ ତଳେ ବାତ୍ୟା ୟାସର ପ୍ରଭାବ ଓଡିଶାର କିଛି ଜିଲ୍ଲାକୁ ବହୁଳ ଭାବେ ପ୍ରଭାବିତ କରିଥିଲା । ସେହି କ୍ଷତ ସୁଖିନାହିଁ। ପୁଣି ଏକ ଲଘୁଚାପ ଆସୁଛି। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦେଖି ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା। ସେଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି ଚିଠି କରିଛନ୍ତି।

ଏସ୍‌ଆର୍‌ସିଙ୍କ କହିବା ଅନୁସାରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ IMD ପୂର୍ବାନୁମାନ କରିଛି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁ କେତେକ ଜାଗାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି। ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସ୍‌ଆସି ନିର୍ଦ୍ଦେଶ ଦେଇଛନ୍ତି।

ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ସମ୍ଭାବନା ରହିଛି। ତେଣୁ ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସ୍‌ଆର୍‌ସି ତାଗିଦ କରିଛନ୍ତି। ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି। ବନ୍ୟା କଥା ବୁଝୁଥିବା ସବୁ ଅଫିସ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍‌ କରିବେ। ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି। 

ଲଘୁଚାପ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ଭିତରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ବଜ୍ରପାତ ମଧ୍ୟ ହେବ। ସେଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଏମ୍‌ଡି)।

Leave a Reply

Your email address will not be published.