ରାଜ୍ୟରେ ହ୍ରାସ ପାଇଛି ପ୍ରଜନନ ହାର ଓ ଶିଶୁ ମୃତ୍ୟୁ ହାର

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ପ୍ରଜନନ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଛି । ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେର-୫ ଫଳାଫଳ ଅନୁସାରେ ଏହି ସୂଚନା ମିଳିଛି । ରାଜ୍ୟରେ ପ୍ରଜନନ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ପୂର୍ବ ତୁଳନାରେ ମହିଳାମାନେ ଏବେ କମ ଶିଶୁଙ୍କୁ ଜନ୍ମ ଦେଉଛନ୍ତି । ଗତ ୫ବର୍ଷ ଭିତରେ ଏହା ୦.୩ ପଏଣ୍ଟ ହ୍ରାସ ପାଇଛି । ଜଣେ ମହିଳା ନିଜ ପ୍ରଜନନ ବୟସ ଭିତରେ ଯେତିକି ସଂଖ୍ୟକ ଶିଶୁଙ୍କୁ ଜନ୍ମ ଦେଇଥାନ୍ତି ତାହାକୁ ଟିଏଫଆର ବୋଲି କୁହାଯାଏ । ୨୦୧୭ ମସିହାରେ ହୋଇଥିବା ସାମ୍ପୁଲ ରେଜିଷ୍ଟ୍ରେସନ ସର୍ଭେ ବା ଏସଆରଏସରେ ରାଜ୍ୟରେ ଟିଏଫଆର ୧.୯ ରହିଥିଲା । ମାତ୍ର ଏନଏଫଏଚଏସ-୫ରେ ଏହା ୧.୮କୁ ଖସି ଆସିଛି । ଅତି ସରଳଭାବେ କହିବାକୁ ଗଲେ ରାଜ୍ୟର ୫ଜଣ ମହିଳା ଏବେ ୯ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି । ୨୦୧୫ ଓ ୧୬ ମସିହାରେ ରାଜ୍ୟର ପ୍ରଜନନ ହାର ୨.୧ ଥିବା ବେଳେ ୨୦୨୦/୨୧ରେ ଏହା ୧.୮କୁ ଖସି ଆସିଛି । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ହାର ସାମାନ୍ୟ ଅଧିକ ରହିଛି । ସହରାଞ୍ଚଳରେ ଏହା ୧.୫ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୧.୯ ରହିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଦମ୍ପତ୍ତିଙ୍କ ଭିତରେ ପରିବାର ନିୟୋଜନର ବିଭିନ୍ନ ପଦ୍ଧତି ଆପଣାଇବା କାରଣରୁ ମୋଟ ପ୍ରଜନନ ହାର ବା ଟିଏଫଆରରେ ହ୍ରାସ ଦେଖିବାକୁ ମିଳିଛି ।

ଅନ୍ୟପଟେ ଏବେ ରାଜ୍ୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ସମ୍ଭାବନା ଥିବା ଶିଶୁଙ୍କ ପ୍ରତିଶତ ୨.୩କୁ ହ୍ରାସ ପାଇଛି କମ ଓଜନ ଶିଶୁଙ୍କ ସଂଖ୍ୟା ୪.୭ ପ୍ରତିଶତ କମିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ତୁଳନାରେ ଶିଶୁଙ୍କର ଟୀକାକରଣ ଓଡିଶାର ଉଲ୍ଲେଖନୀୟ ଉନ୍ନତି ହୋଇଛି । ରାଜ୍ୟରେ ୯୦.୭୫ % ଶିଶୁଙ୍କର ସଂପୂର୍ଣ୍ଣ ଟୀକାକରଣ କରାଯାଇଛି । ଉପଯୁକ୍ତ ପୋଷଣ ଅଭାବରୁ ବୟସାନୁପାତରେ ଉଚ୍ଚତା କମ ରହୁଥିବା ପିଲାଙ୍କ ସଂଖ୍ୟା ଗତ ଫଳାଫଳ ଅନୁସାରେ ଚଳିତ ଥର ୩.୧ % କମିଛି । ସେହିପରି ଶିଶୁ ଜନ୍ମପରେ ପ୍ରଥମ ସ୍ତନ୍ୟପାନ କରିଥିବା ଶିଶୁଙ୍କ ସୂଚକାଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ରେ ୬୫.୬ ଥିବା ବେଳେ ସର୍ବେକ୍ଷଣ-୫ରେ ଏହା ୭୨.୯ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପଟେ ପରିପୂରକ ପୋଷକ ୫୪.୯ ପ୍ରତିଶତରୁ ୬୭ ପ୍ରତିଶତକୁ ବୃଦ୍ଧି ପାଇଛି । ଆବଶ୍ୟକ ପରିମାଣରେ ଖାଦ୍ୟ ଗ୍ରହଣ କରୁଥିବା ୬ରୁ ୨୩ ମାସର ଶିଶୁଙ୍କ ପ୍ରତିଶତରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି ।

 

 

 

Leave a Reply

Your email address will not be published.