ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ: ଦେଶରେ ପ୍ରଥମ ଥର ବଢ଼ିଲା ପୁରୁଷଙ୍କ ତୁଳନାରେ ନାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଭାରତରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ସଂଖ୍ୟା ଅଧିକ ହୋଇଥିବା ୫ମ ପର୍ୟ୍ୟାୟ ‘ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ’ରୁ (ଏନଏଫଏଚଏସ) ଜଣାପଡ଼ିଛି । ସଦ୍ୟତମ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୧୦୦୦ ପୁରୁଷ ପ୍ରତି ୧୦୨୦ ମହିଳା ଅଛନ୍ତି । ସର୍ଭେରୁ ଏହା ମଧ୍ୟ କୁହାଯାଇଛି ଯେ ପ୍ରଜନନ ହାରରେ ହ୍ରାସ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଏହି ସଂଖ୍ୟା ପ୍ରକାଶ କରିଛି ।

୧୯୯୦ରେ ‘ନ୍ୟୁୟର୍କ ରିଭ୍ୟୁ ଅଫ୍ ବୁକ୍ସ୍‌’ରେ ପ୍ରକାଶିତ ଏକ ପ୍ରବନ୍ଧରେ ନୋବେଲ୍‌ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପ୍ରଥମ ଥର ପାଇଁ ‘ନିରୁଦ୍ଦିଷ୍ଟ ମହିଳା’ ଶବ୍ଦ ବ୍ୟବହାର କରିଥିଲେ । ସେତେବେଳେ ଭାରତରେ ପ୍ରତି ୧୦୦୦ଜଣ ପୁରୁଷରେ ୯୨୭ ମହିଳା ଥିଲେ । ୨୦୦୫-୦୬ରେ ହୋଇଥିବା ଏନଏଫଏଚଏସ-୩’ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ପୁରୁଷ ଓ ମହିଳାଙ୍କ ଅନୁପାତ ସମାନ ବା ୧୦୦୦:୧୦୦୦ ଥିଲା । କିନ୍ତୁ, ୨୦୧୫-୧୬ ଏନଏଫଏଚଏସ-୪’ ସର୍ବେକ୍ଷଣରେ ତାହା ହ୍ରାସ ପାଇ ୯୯୧:୧୦୦୦ ‌ହୋଇଥିଲା । କିନ୍ତୁ, ଏଥର ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ପ୍ରଥମ ଥର ପାଇଁ ଦେଶରେ ପ୍ରଜନନ ହାର ୨ କୁ ଖସି ଆସିଛି । ୨୦୧୫-୧୬ ରେ ଏହା ୨.୨ ଥିଲା । ବିଶେଷ କଥା ହେଉଛି ୨.୧ ର ପ୍ରଜନନ ହାରକୁ ବଦଳ ଚିହ୍ନ ଭାବରେ ବିବେଚନା କରାଯାଏ । ତାହା ହେଉଛି, ଜନସଂଖ୍ୟାର ଅଭିବୃଦ୍ଧି ୨.୧ ହାରରେ ସ୍ଥିର ରହିଥାଏ । ଏହା ତଳେ ଉର୍ବରତା ହାର ଜନସଂଖ୍ୟା ଅଭିବୃଦ୍ଧି ହାରକୁ ମନ୍ଥର କରିବାର ଏକ ସଙ୍କେତ ଅଟେ । ୨୦୧୯-୨୦ ବର୍ଷ ମଧ୍ୟରେ କରାଯାଇଥିବା ସର୍ବେକ୍ଷଣର ତଥ୍ୟ ଏନଏଫଏଚଏସ-୫ ରେ ସଂଗ୍ରହ କରାଯାଇଥିଲା । ଏହି ସମୟ ମଧ୍ୟରେ ପ୍ରାୟ ୬.୧ ଲକ୍ଷ ଘର ଉପରେ ସର୍ଭେ କରାଯାଇଛି । ଏନଏଫଏଚଏସ-୫ ଏହି ସମୟରେ କେତେକ ନୂତନ ବିଷୟ ଅନ୍ତର୍ଭୁକ୍ତ କରେ ଯେପରିକି ପ୍ରି-ସ୍କୁଲ୍, ଅକ୍ଷମତା, ଶୈାଚାଳୟ ସୁବିଧା, ମୃତ୍ୟୁ ପଞ୍ଜୀକରଣ, ଋତୁସ୍ରାବ ସମୟରେ ସ୍ନାନ କରିବାର ପଦ୍ଧତି ଏବଂ ଗର୍ଭପାତର ପଦ୍ଧତି ଏବଂ କାରଣ । ୧୯୯୨-୯୩ ମସିହାରେ ପ୍ରଥମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ -୧) କରାଯାଇଥିଲା ।

 

 

 

Leave a Reply

Your email address will not be published.