ଭାରତ ଗସ୍ତରେ ଆସୁଛନ୍ତି ଋଷିଆ ରାଷ୍ଟ୍ରପତି, ଦେଶକୁ ମିଳିବ ଏସ-୫୦୦ ଓ ଏସ-୫୫୦ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଋଷ ବର୍ତ୍ତମାନ ଏସ-୫୫୦ ମିସାଇଲ ସିଷ୍ଟମ ଉପରେ କାମ କରୁଛି । ପୂର୍ବରୁ ଏସ-୫୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ତିଆରି କରିସାରିଛି । ଏନେଇ ମଙ୍ଗଳବାର ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କୁହାଯାଉଛିଯେ, ଏହା ଏପରି ଏକ କ୍ଷେପଣାସ୍ତ୍ର ପ୍ରଣାଳୀ ହେବ, ଯାହା ଆଜି ପର୍ଯ୍ୟନ୍ତ ବିଶ୍ୱ ଦେଖି ନାହିଁ । ଏହି ବ୍ୟବସ୍ଥାର ବିକାଶ କେବଳ ସୋଭିଏତ ସଂଘର ଯୁଗରେ ଆରମ୍ଭ ହୋଇଥିଲା, କିନ୍ତୁ ଆମେରିକା ସହିତ ଚୁକ୍ତି ପରେ ଏହାକୁ ବନ୍ଦ କରାଯାଇଥିଲା । ଋଷ ଏସ-୫୦୦ କ୍ଷେପଣାସ୍ତ୍ରର ଶେଷ ସଫଳ ପରୀକ୍ଷଣ କରିସାରିଛି । ଆସନ୍ତା ବର୍ଷ ପ୍ରାରମ୍ଭରେ ଏହି ବ୍ୟବସ୍ଥା ୠଷର ସେନାରେ ଅନ୍ତର୍ଭୁକ୍ତ ହେବ ।

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ଆମେଥିଠାରେ ପ୍ରସ୍ତାବିତ କାଲାସନିକୋଭ କାରଖାନା ପ୍ରତିଷ୍ଠା । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ଏସ-୫୦୦ ଓ ଏସ-୫୫୦ ସାମ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇପାରେ । ଏନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ । ଏହି ପ୍ରସ୍ତାବରେ ଭାରତ ରାଜି ହେଲେ ଏସ-୫୦୦ ଓ ଏସ-୫୫୦ ପାଇବାରେ ଭାରତ ହେବ ବିଶ୍ୱର (ଋଷିଆ ପରେ) ପ୍ରଥମ ଦେଶ । ପୁଣି ଏହି ଅତ୍ୟାଧୁନିକ ସିଷ୍ଟମକୁ କେବଳ ଭାରତ ଛଡ଼ା ଆଉ କାହାକୁ ଦେବାକୁ ଋଷିଆ ପ୍ରସ୍ତାବ ଦେଇନାହିଁ ।

Leave a Reply

Your email address will not be published.