ଆମେରିକାକୁ ବିମାନ ଚଳାଚଳ ହ୍ରାସ କଲା ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଯୁକ୍ତରାଷ୍ଟ୍ର ଆମେରିକା ୫ଜି କମ୍ୟୁନିକେସନ୍‌ ମୁତୟନ କରିଛି । ଏହି କାରଣରୁ ଏୟାର୍‌ ଇଣ୍ଡିଆ ଆମେରିକାକୁ ବିମାନ ଚଳାଚଳ ହ୍ରାସ କରିଛି । ‘ୟୁନାଇଟେଡ୍‌ ଏୟାର୍‌ଲାଇନସ୍‌’ କହିଛି, ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ‘୫ଜି’ ପ୍ରଚଳନ ଯୋଜନା ବିମାନ ଚଳାଚଳ ବିପର୍ୟ୍ୟସ୍ତ କରି ପକାଇବା ସହ ପ୍ରାୟ ୧.୨୫ ନିୟୁତ ‘ୟୁନାଇଟେଡ୍‌’ ଯାତ୍ରୀ ଏବଂ ଅନ୍ୟୂନ ୧୫,୦୦୦ ବିମାନ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଏହାଛଡ଼ା, ଏଥିଯୋଗୁଁ ବାର୍ଷିକ ଦେଶର ୪୦ରୁ ଊର୍ଦ୍ଧ୍ବ ବୃହତ୍ତମ ବିମାନ ବନ୍ଦରଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଟନ୍‌ ଟନ୍‌ ମାଲ ପରିବହନ ଉପରେ ମଧ୍ୟ କୁପ୍ରଭାବ ପକାଇବ ।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଏୟାର୍‌ ଇଣ୍ଡିଆ କହିଛି, ଯୁକ୍ତରାଷ୍ଟ୍ର ଆମେରିକାରେ ୫ଜି କମ୍ୟୁନିକେସନ୍‌ ପ୍ରଚଳନ ହେବାରୁ ୨୦୨୨ ଜାନୁଆରି ୧୯ରୁ ଭାରତରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ବିମାନ ଚଳାଚଳ ହ୍ରାସ କରାଯିବା ସହ କିଛି ବିମାନ ପରିବର୍ତ୍ତନ କରାଯାଇଛି । ଏ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ ।

Leave a Reply

Your email address will not be published.